Unknown

ରଘୁ ଦିଗ୍‌ ବିଜୟ

ଶ୍ରୀ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁଙ୍କ

 

ଉପହାର

ସାହିତ୍ୟକ୍ଷୀରାବ୍ଧିର ପାର୍ବଣଶର୍ବରୀଶ ପ୍ରତିଭା-

ବିନୋଦୋପାଧିକ ବୃହତ୍‌ଖେମଣ୍ଡିମଣ୍ଡନ ଶ୍ରୀଶ୍ରୀଶ୍ରୀ

କୃପାମୟଦେବ ଅନଙ୍ଗଭୀମକେଶରୀ ଗଜପତି

ମହାରାଜମହୋଦୟ ପବିତ୍ର ପ୍ରସନ୍ନହୃଦୟସରୋଜେଷୁ ।

 

ସାଶୀର୍ବ୍ବାଦ ନିବେଦନ ।

ଗତିପୃତି କୃପାମୟ ହେ ଖେମଣ୍ଡିପତି,

ବିରାଜୁଛି ଉତ୍କଳରେ ତବ ସୁକୀରତି ।

ପ୍ରଜରଞ୍ଜନ କୁଶଳୀ ପଣ୍ଡିତ ପୋଷକ,

ରାଜଋଷି ସମଆହେ ଧର୍ମ ପ୍ରବର୍ତ୍ତକ !

 

ପୁସ୍ତକୁଟି ଦେଉଅଛି ଛାମୁଙ୍କ ଶ୍ରୀକରେ,

ଗରୀବର ଉପହାର ରଖ ସୁମନରେ ।

ଜାଣେ ଆପଣଙ୍କ ଭଳି ନୁହେ ଏହିଦ୍ରବ୍ୟ,

ଭକ୍ତିକି ଗ୍ରହଣମାତ୍ର କରିଥାନ୍ତି ଭବ୍ୟ ।

 

ପ୍ରସିଦ୍ଧ ପ୍ରମାଣ ଅଛି ଲକ୍ଷ୍ମୀପତି ହରି,

ସୁଦାମାଙ୍କ କରୁ ଖୁଦ ନେଲେ ନିଧିପରି ।

ମୁମଧ୍ୟ ତାଦୃଶ ଅତି ଦରିଦ୍ର ବ୍ରାହ୍ମଣ,

ଆଶୀଷ ଦେବାର ଏକା ଅଛି ବଡ଼ପଣ ।

 

ଏଣୁ ଅର୍ପୁଅଛି ଏହା ଶୁଭାଶୀଷ ସହ

ଗ୍ରହଣକର ମୋଠାରେ ରଖି ଅନୁଗ୍ରହ ।

ଶ୍ରୀଛାମୁଙ୍କ ଚିରାଶ୍ରିତ

ଶ୍ରୀ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ ।

ରଘୁ ଦିଗ୍‌ବିଜୟ ।

ରାଗ ବଙ୍ଗଳାଶ୍ରୀ ।

ସତ୍ୟ ଶାନ୍ତ ଶୌର୍ଯ୍ୟ ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟ

ସୁଗୁଣ ଗଣ ଆକର ।

ଯେଉଁ ଶୁଦ୍ଧ ବଂଶେ ଅବତରି ଥିଲେ

ରାବଣାରୀ ଚକ୍ରଧର ।

ଆଣିଲେ ଗଙ୍ଗାକୁ ଯେଉଁ ବଂଶ ସୁତ

ଭଗୀରଥ ନରପତି ।

ପିତୃଙ୍କୁ ଉଦ୍ଧରି ରଖି ଯାଇଛନ୍ତି

ଲୋକେ ଅକ୍ଷୟକୀରତି ।

କୁମାରବୟସେ ରଣେ ଜିଣିକରି

ଦେବାଧିରାଜ ଇନ୍ଦ୍ରିଙ୍କୁ

ଶତ କ୍ରତୁଫଳ ଦିଆଇଥିଲେ ଯେ

ପିତା ଦିଲୀପ ନୃପଙ୍କୁ ।

 

ଯାହାଙ୍କର ନାମ ଅଦ୍ୟାପି ଚିହ୍ନାଏ

‘‘ରଘୁବଂଶ’’ ବୋଲିକରି ।

ସେହି ଧନ୍ୟନାମା ଅଭିଷିକ୍ତ ହେଲେ

ଶୁଭେ ଅଯୋଧ୍ୟା ନଗରୀ ।

 

ରବିତେଜ ପାଇ ପ୍ରଦୋଷେ ପାବକ

ସୁନ୍ଦର ଦିଶେ ଯେପରି ।

ପିତାଦତ୍ତ ରାଜ୍ୟ ଲଭି ରଘୁଙ୍କର

ଅଧିକ ଶୋଭା ସେପରି ।

 

ଦିଲୀପଙ୍କ ଅନ୍ତେ ରଘୁଙ୍କ ରାଜତ୍ୱ-

ବାର୍ତ୍ତା ଶୁଣି ନୃପଙ୍କର ।

ହୃଦରେ ଧୂମିତ ପୂର୍ବ ସନ୍ତାପାଗ୍ନି

ଜଳିଲା ଅଧିକତର ।

 

ଉତ୍‌ଫୁଲ୍ଲ ନୟନେ ଇନ୍ଦ୍ରଧନୁ ସମ

ଦେଖି ରାଜାଙ୍କ ଉନ୍ନତି ।

ସନ୍ତୋଷ ହୋଇଣ କାଳ କଟାଇଲେ

ପରଜା ସହ ସନ୍ତତି ।

 

ଦ୍ୱିରବର ପରି ଏହି ଦୁଇକାର୍ଯ୍ୟ

ଥରକେ କଲେ ଆୟତ୍ତ ।

ପିତାଙ୍କ ପ୍ରଦତ୍ତ ରାଜ ସିଂହାସନ

ପୁଣି ଅରୀ କରଗତ ।

 

ତେଜ ପୁଞ୍ଜଦ୍ୱାରା ଅନୁମିତ ହେଲା

ରାଜଲକ୍ଷ୍ମୀ ପ୍ରଚ୍ଛନ୍ନରେ ।

ପଦ୍ମ-ଆତପତ୍ର ଧରିଣ ରାଜାଙ୍କୁ

ସେବାକଲେ ଆନନ୍ଦରେ ।

 

ବନ୍ଦିଙ୍କ କଣ୍ଠରେ କରିଣ ନିବାସ

ସୁବୁଦ୍ଧିପ୍ରଦା ଶାରଦା ।

ଉପାସନା କଲେ ରଘୁଙ୍କୁ ଶାସ୍ତ୍ରୋକ୍ତ

ସ୍ତୁତି ସ୍ତୋତ୍ରରେ ବରଦା ।

 

ବୈବସ୍ୱତ-ମନୁ ପ୍ରଭୃତି ନୃପରେ

ହେଲେହେଁ ଧରଣୀ ଭୁକ୍ତ ।

ଅନ୍ୟପୂର୍ବ ପରି ଆଭାସିଲା ନାହିଁ

ରଘୁହେଲୁଁ ନ୍ୟାୟଯୁକ୍ତ ।

 

 

ଯୁକ୍ତ ଦଣ୍ଡହେତୁ ଲୋକଙ୍କର ଚିତ୍ତ

ରଞ୍ଜିତ କଲେ ସର୍ବଥା ।

ଉଷ୍ମ ଶୈତ୍ୟସମ ଦକ୍ଷିଣା ପବନ

ଲୋକ ପ୍ରିୟ ଅଟେ ଯଥା ।

 

ଗୁଣାଧିକ ଯୋଗେ ଦିଲୀପଙ୍କୁ ମନୁ

ପରଜା ଦେଲେ ବିସ୍ମରୀ ।

ଚୂତ ଫଳଭକ୍ଷି ବକୁଳକୁ ଜନେ

ଆନାଦର କଲାପରି ।

 

ନୀତିଶାସ୍ତ୍ର-ଭିଜ୍ଞ ଅମାତ୍‌ଯ ସକଳ

ଧର୍ମାଧର୍ମ ଦିମାର୍ଗକୁ ।

ଶିକ୍ଷାଦେଲୁଁ ରଘୁ ଧର୍ମ ଶିକ୍ଷାକରି

ଦୂରକଲେ ଅଧର୍ମକୁ ।

 

କ୍ଷିତି ଆଦି ପଞ୍ଚ ମହାଭୂତ ଗୁଣ

ଅତିଶୟେ ହେଲା ପୁଷ୍ଟ ।

ନୂତନ ରାଜାଙ୍କ ସୁଶାସନେ ସର୍ବ

ଭୂତଜ ଅପୂର୍ବ ଦୃଷ୍ଟ ।

 

 

ଆହ୍ଲାଦରୁ ଚନ୍ଦ୍ର ତପରୁ ତପନ

ପଦର ସାର୍ଥକ ଯଥା ।

ପ୍ରଜା ରଞ୍ଜନରୁ ରଘୁଙ୍କର ଠାରେ

ରାଜପଦ ସାର୍ଥତଥା ।

 

ଆକର୍ଣ୍ଣାନ୍ତଗାମୀ ବିଶାଳ ଲୋଚନ

ହେଲେହେଁ ଅଧିପଙ୍କର ।

ଶାସ୍ତ୍ର ଆଲୋଚନା ବିଷୟେ ସୁଦୃଷ୍ଟି

ହେଲା ଅତି ସୂକ୍ଷ୍ମତର ।

 

ଶତ୍ରୁ ସ୍ତୁତିକାର କୁଶଳୀ ରଘୁଙ୍କୁ

ଦ୍ୱିତୀୟା ରାଜଶ୍ରୀ ପରି

ଶରଦ ସମୟ ଉପସ୍ଥିତ ହେଲା

କୋମଳ ଲକ୍ଷଣ ଧରି ।

 

ବହୁ ଜଳବୃଷ୍ଟି ହେତୁ ତ୍‌ଯକ୍ତମାର୍ଗ

ଲଘୁମେଘେ ଏକାବେଳେ ।

ସୂର୍ଯ୍ୟଙ୍କ କିରଣ ରଘୁଙ୍କ ପୌରୁଷ

ଦିଗରେ ପ୍ରକାଶ ହେଲେ ।

 

 

ଭରଣ-ପୋଷଣ ବିପଦରୁ ତ୍ରାଣ

ପ୍ରଜାଙ୍କୁ ପ୍ରତି ପାଳନା ।

ଯେଣୁ ଦୁହିଁଙ୍କର ପ୍ରଜାର୍ଥ ସାଧନା

ସର୍ବଦାଅଟେ କାମନା ।

 

ତେଣୁ ବର୍ଷାକାଳ ଶେଷେ ଇନ୍ଦ୍ରଧନୁ

କରିବା ମାତ୍ରେ ହରଣ ।

ଜୟଶାଳୀ ଧନୁ ରଘୁ ମହାରାଜ

ଭୁଜରେ କଲେ ଧାରଣ ।

 

ପୁଣ୍ଡରୀକ-ଛତ୍ର, ସୁକାଶ ଚାମର

ଯୁକ୍ତେ ଶରଦୃତୁରାଜ ।

ବିଡ଼ମ୍ବିତ କଲା ରଘୁଙ୍କୁ କେବଳ

ଶୋଭାରେ ପାଇଲା ଲାଜ ।

 

ପ୍ରସନ୍ନ ବଦନ ରଘୁଠାରେ ପୁଣି

ବିମଳ କାନ୍ତି ଚନ୍ଦ୍ରରେ ।

ସମାନ ଭାବରେ ପ୍ରୀତି ଜନ୍ମାଇଲା

ଦେଖିବା ଜନ ମନରେ ।

 

 

ଜଳ ହଂସ ଶ୍ରେଣୀ ନକ୍ଷତ୍ର କୁମୁଦ

ହେଲେ ଅତି ଶୁଭ୍ର ଯାହା ।

ରଘୁଙ୍କ କୀରତି ସଂପଦ କେବଳ

ବିଞ୍ଛି ହୋଇଛିକି ତାହା ।

 

ଇକ୍ଷୁ ଛାୟାଶ୍ରିତା ବାଳୀ ଜଗୁଆଳି

ଯୁବତୀ ରଘୁଙ୍କ ଗୀତି ।

ଇନ୍ଦ୍ର, ବିଜୟାଦି ସକଳ ଗୁଣକୁ

ଗାଆନ୍ତି ସନ୍ତୋଷେ ନୀତି ।

 

ମହାଯଶା ମୁନି ଅଗସ୍ତ୍ୟ ଉଦୟେ

ଜଳ ହୋଇଲା ନିର୍ମଳ ।

ମହା ପରାକ୍ରମୀ ରଘୁ ଅଭ୍ୟୁଦୟେ

ମନ ମ୍ଳାନ ଶତ୍ରୁଦଳ ।

 

ମଦଗର୍ବେ ନଦୀ ତଟକୁ ଭାଙ୍ଗିଣ

ଖେଳନ୍ତି ବୃଷଭ ପନ୍ତି ।

ରଘୁଙ୍କର ଶୌର୍ଯ୍ୟ ଶତ୍ରୁଜୟ ଅବା

ଏଥୁ ବୁଝାଇ ଦିଅନ୍ତି ।

 

 

ମଦଗନ୍ଧି ସପ୍ତପର୍ଣ୍ଣ ପୁଷ୍ପ ଦ୍ୱାରା

ତାଡ଼ିତ ରଘୁଙ୍କ ଦନ୍ତୀ ।

କ୍ରୋଧଭର ହୋଇ ସପ୍ତପର୍ଣ୍ଣ ସମ

ଗଣ୍ଡରୁ ମଦ ବର୍ଷନ୍ତି ।

 

ନଦୀସୁପ୍ତତରା ପଙ୍କ ଶୁଷ୍କ ପଥ

ଶରତ୍କାଳେ ଯାହାହେଲା ।

ଦଣ୍ଡ ଯାତ୍ରାପାଇଁ ରଘୁଙ୍କ ଶକ୍ତିକି

ସାବଧାନ କରିଦେଲା ।

 

ଅଶ୍ୱଙ୍କୁ ଅରାତ୍ରି କରିବା ବେଳରେ

ଦକ୍ଷିଣ ଜ୍ୱାଳାଯାହେଲା ।

ବ୍ୟାଜସିନା ସେହି ରଘୁଙ୍କ କରରେ

ଜୟଲକ୍ଷ୍ମୀ ଆଣିଦେଲା ।

 

ସ୍ୱାମୀମନ୍ତ୍ରୀ ମିତ୍ର କୋଷରାଷ୍ଟ୍ର ଦୂର୍ଗ

ଯତନେ କରିସମ୍ଭାର ।

ଷଡ଼ବିଧ ବଳ ଧରି ଦିଗଜୟ

ନିମନ୍ତେ ହେଲେ ବାହାର ।

 

 

ମନ୍ଦର ଉଦ୍ଧୂତ କ୍ଷୀରୋର୍ମୟ ବିନ୍ଦୁ

ପୂର୍ବେ ଯେପରି ବିଷ୍ଣୁଙ୍କୁ ।

ତଥାସେ ସମୟେ ପୁରବୃଦ୍ଧାନାରୀ

ଲାଜାବର୍ଷିଲେ ରଘୁଙ୍କୁ ।

 

ଅନୁକୁଳାନିଳେ କମ୍ପିତ ପୁରସ୍ଥ

ଧ୍ୱଜଦ୍ୱାରା ଶତ୍ରୁପ୍ରତି ।

ଭର୍ତ୍ସନା କରିସେ ପ୍ରଥମ ପୂର୍ବକୁ

ସସୈନ୍ୟେ ଗଲେ ଝଟତି ।

 

ରଥୋଦ୍ଧୂଢ଼ ଧୂଳି ଘନ ତୁଲ୍ୟକରି

ସମୂହରେ ଯଥାକ୍ରମ ।

ଭୂମୀ ସ୍ଥଳପରି ହୋଇଲା ଆକାଶ

ବ୍ୟୋମପୁଣି ପୃଥ୍ୱୀସମ ।

 

ଅଗ୍ରରେ ପ୍ରତାପ ତାପରେ ଶବଦ

ତଦନ୍ତେ ପରାଗ ଗଲା ।

ପଛେ ରଥଆଦି ଚତୁର୍ବ୍ୟୁହ ପରି

ରଘୁ ସେନା ଗତି କଲା ।

 

 

ମରୁ ପୃଷ୍ଠ ସ୍ଥଳୀ ଜଳୋବନ୍ତ କଲେ

ନଦୀକଲେ ସୁପ୍ରତରା ।

ବନ ବୃକ୍ଷହୀନ ରଘୁ ପ୍ରତାପରୁ

ବିପରୀତ ହେଲା ଧରା ।

 

ମହତ ସେନାର ଅଗ୍ରହୋଇ ରଘୁ

ପୂର୍ବ ଅବ୍ଧିଯାଏ ଗଲେ ।

ଗଙ୍ଗାକୁ ଆଣିବା ଭଗିରଥ ସମ

ଶୋଭା ପାଇଲେ ସେକାଳେ ।

 

କେତେ ନରପତି ପଦାନତ ହେଲେ

ଯୁଦ୍ଧେ କେତେଗଲେ ନାଶ ।

ବିଜୟ ପତାକା ଉଡ଼ିଲା କେସ୍ଥାନେ

ମାର୍ଗହୋଇଲା ପ୍ରକାଶ ।

 

ଜୟଶାଳୀ ରଘୁ ପୂର୍ବବେଶ ସବୁ

ଏପରି ଯୁଦ୍ଧେ ଜିଣିଲେ ।

ତାଳ ବନଦ୍ୱାରା ଶାମଳ ସମୁଦ୍ର

ତୀରରେ ଆସି ରହିଲେ ।

 

 

ଅବନୀତ ଶତ୍ରୁ ରଘୁରାଜ ଠାରୁ

ସରିତ ବେଗରୁ ପରି ।

ସିଂହ ଦେଶାଧିପେ ଜୀବନ ରଖିଲେ

ବେତସ ବୃତ୍ତିକି ଧରି ।

 

ତଦନ୍ତେ ସାଧନ ସନ୍ନଦ୍ଧ ବଙ୍ଗକୁ

ଜିଣି ବଳେ ସୁକୌଶଳେ ।

ଗଙ୍ଗାର ପ୍ରବାହ ମଧ୍ୟରେ ବିଜୟ

ସ୍ତମ୍ଭକୁ ସ୍ଥାପନ କଲେ ।

 

ପାଦଯାଏ ନମ୍ର ପୂର୍ବେ ଉତ୍ପାଟିତ

ପୁଣି ସମ୍ୟକ୍‌ ସ୍ଥାପିତ ।

କଳମ ସଦୃଶ ବଙ୍ଗ ନୃପଦ୍ୱାରା

ରଘୁ ହୋଇଲେ ପୂଜିତ ।

 

ତଂହୁ ଗଜସେତୁ ବାନ୍ଧି ସନ୍ୟସହ

କପିଶା ନଦୀ ତରିଲେ ।

ଉତ୍କଳ ରାଜାଙ୍କ ଆଦର୍ଶିତ ପଥେ

କଳିଙ୍ଗାଭିମୁଖେଗଲେ ।

 

 

ମହେନ୍ଦ୍ର-ଭୂଧର-ଶିଖର ଦେଶରେ

ଶିବିର କଲେ ସ୍ଥାପନ ।

ଗଜର ମସ୍ତକେ ମାହୁନ୍ତ ଅଙ୍କୁଶ

ପ୍ରହାର କରେ ଯେସନ ।

 

ଦ୍ୱିରଦ ସାଧନ କଳିଙ୍ଗର ନାଥ

ବାଣ ବର୍ଷିଲା ରଘୁଙ୍କୁ ।

ପକ୍ଷଚ୍ଛେଦ ବେଳେ ପାଷାଣ ବର୍ଷିଲେ

ପର୍ବତେ ଯଥା ଇନ୍ଦ୍ରଙ୍କୁ ।

 

ଶତ୍ରୁଙ୍କ ପ୍ରେରିତ ଦୁଃସହ ନାରାଚ

ଅଯୋଧ୍ୟ ଧିପ ସହିଲେ ।

ଶାସ୍ତ୍ରୀୟ ମଙ୍ଗଳ ସ୍ନାନକଲାପରି

ବିଜୟ ଲକ୍ଷୀ ପାଇଲେ ।

 

ଯୁଦ୍ଧ ଖେଦଶାନ୍ତ ପାଇଁ ଯୋଦ୍ଧାଗଣ

ରିପୁଙ୍କର ଯଶପରି ।

ନାରିକେଳାସବ ପିଇଲେ ଆନନ୍ଦେ

ତାମ୍ୱୁଳ ଦଳରେ ଭରି ।

 

 

ଧର୍ମଜୟୀ ରଘୁ କଳିଙ୍ଗ ନାଥର

ରାଜଲକ୍ଷ୍ମୀ ମାତ୍ର ନେଲେ ।

ଶରଣ ପଶିଲୁ ମେଦିନୀକି ପୁଣି

ତାଙ୍କକରେ ଦେଇଦେଲେ ।

 

ତାପରେ ଫଳିତ ଗୁବାକ ପାଦପ

ଶୋଭିତ ସମୁଦ୍ର ତୀରେ ।

ଦକ୍ଷିଣ ଦିଗକୁ ଅଯତ୍ନରେ ଜିଣି

ରଘୁ ତହୁଂ ବାହାରିଲେ ।

 

ଗଜ ମଦଗନ୍ଧ ସୈନ୍ୟ ପରି ଭୋଗେ

କାବେରୀ ନଦୀର ପ୍ରତି ।

ସରିତ ପତିର ମନେ ଶଙ୍କାହେଲା

ବରିଲାକି ଆନପତି ।

 

ବରଫ ଉପଳ ଦ୍ୱାରା ଧବଳିତ

ଅଛି ନବରତ୍ନ ତହିଁ ।

ମରିଚ ବନରେ ଭ୍ରମଣ କରନ୍ତି

ହାରିତ ପକ୍ଷୀଏ ଯହିଁ ।

 

 

ସେହି ମଳୟାଦ୍ରି ଆସନ୍ନ ଭୂମିରେ

ହେଲେଆସି ଉପସ୍ଥିତ ।

ବିଜୟାଭିଳାଷୀ ରଘୁଙ୍କର ସୈନ୍ୟ

ଲଙ୍ଘି କ୍ରମେ ବହୁପଥ ।

 

ଅଶ୍ୱ ଖୁରାଘାତେ ଚୂର୍ଣ୍ଣିତ ଉଦ୍ଧୃତ

ଏକାଫଳ ରଜରାଶି ।

ସମାନ ସୁଗନ୍ଧି ମତ୍ତଗଜ ଗଣ୍ଡେ

ସଂଯୁକ୍ତ ହୋଇଲେ ଆସି ।

 

ଚନ୍ଦନ ଦ୍ରୁମର ଭୁଜଙ୍ଗ ବେଷ୍ଟନ

ଛିଦ୍ର ସ୍ଥାନରେ ଅର୍ପିତ ।

ପଦବନ୍ଧ ଶୂନ୍ୟ କରୀ ଗ୍ରୀବାରଜ୍ଜୁ

ଶ୍ଳଥ ନୋହିଲା କିଞ୍ଚିତ ।

 

ଦକ୍ଷିଣ ଦିଗରେ ରବିଙ୍କର ତାପ

ହୋଇଲା କ୍ରମେ ମଳିଣ ।

ତଦ୍ଦେଶୀୟ ପାଣ୍ଡୁ ଅଧୀପେ ରଘୁଙ୍କ

ପ୍ରତାପକୁ ନସହିଣ ।

 

 

ତାମ୍ରପର୍ଣ୍ଣୀ ନଦୀ ସଙ୍ଗତ ଉଦଧି

ସଂବନ୍ଧ ମୌକ୍ତିକ ଆଣି ।

ସ୍ୱକୀୟ ସଞ୍ଚିତ ଯଶ ପରିଦେଲେ

ରଘୁଙ୍କୁ ଯୋଡ଼ିଣ ପାଣି ।

 

ତଟରେ ମଳୟ ବୃକ୍ଷ ସୁଶୋଭିତ

ଦକ୍ଷିଣାଶା ସ୍ତନ ସମ ।

ମଳୟ ଦୁର୍ଦୁର ଉଭୟ ପର୍ବତେ

କ୍ଷଣେ କରିଲେ ବିଶ୍ରାମ ।

 

ଜଳନିଧି ଦ୍ୱାରା ଦୂରୁତ୍‌ଯକ୍ତ ହେତୁ

ସସ୍ତାଶୁଂକ ଅବନୀର ।

ନିତମ୍ୱ ସଦୃଶ ସହ୍ୟ ପବତକୁ

ଅତିକ୍ରମୀ ରଘୁବୀର ।

 

ପାଶ୍ଚାତ୍ୟ ଜୟକୁ ଉଦ୍ୟତ ରଘୁଙ୍କ

ସୈନ୍ୟ ଦ୍ୱାରା ରତ୍ନାକର ।

ସହ୍ୟ ଲଗ୍ନପରି ଦିଶିଲା ସେକାଳେ

ଥିଲେହେଁ ବିଶେଷ ଦୂର ।

 

 

ଭୟକାତରରୁ ଉତ୍ସୃଷ୍ଟ ଭୂଷଣ

କେରଳୀୟ ନାରୀଙ୍କର ।

ଅଳକାରେ ସୈନ୍ୟ ରେଣୁ ପ୍ରତିନିଧି

ହେଲା କୁଙ୍କୁମ ରଜର ।

 

ମୁରାଳାକ୍ଷା ନଦୀ ସମ୍ୱନ୍ଧ ପବନେ

ଉଦ୍ଧୃତକେତକୀ ରେଣୁ ।

ଯୋଦ୍ଧା କଞ୍ଚୁକର ଅଯତ୍ନେ ବସନ

ସୁବାସ ରଚିଲା ତେଣୁ ।

 

ଗମନ କରିବା ଘୋଟକ ଦେହର

ଧ୍ୱନିବନ୍ତ କବଚରେ ।

ପବନେ କମ୍ପିତ ତାଳବନ ଧ୍ୱନି

ତିରସ୍କୃତ ହେଲା ଖରେ ।

 

ଖର୍ଜୁରି ଦ୍ରୁମରେ ଆବଦ୍ଧ କରିଙ୍କ

ମଦସ୍ରାବ ଗଣ୍ଡସ୍ଥଳେ ।

ପୁଂନ୍ନାଗ କୁସୁମ ତେଜି ଅଳିବୃନ୍ଦ

ବସିଲେ ସୌରଭ ବଳେ ।

 

 

ମାଗିଲୁ ପମୁଦ୍ର ପରଶୁରାମଙ୍କୁ

ସ୍ଥାନସିନା ଦେଇଥିଲା ।

ପରାଜିତ ନୃପ ବ୍ୟାଜରେ ରଘୁଙ୍କୁ

ଷଷ୍ଟାଂଶ କର ଅର୍ପିଲା ।

 

ମତ୍ତ ଗଜଦନ୍ତ କ୍ଷତେ ପ୍ରକାଶିତ

ବିକ୍ରମ ଲକ୍ଷଣ ଯହିଁ ।

ସେହି ତ୍ରିକୁଟାଦ୍ରି ଉଚ୍ଚ ଜୟସ୍ତମ୍ଭ

ରଘୁଙ୍କର ହେଲାତହିଁ ।

 

ତଂହୁ ରଘୁରାଜ ପାରସି ଦେଶକୁ

ଜୟଲାଭ ଆଶାବଳେ ।

ଯାନରେ ସମୁଦ୍ରେ କିବା ନିଷେଧରୁ

ସ୍ଥଳମାର୍ଗେ ଗତିକଲେ ।

 

ଅକାଳ ଜଳଦ ପଦ୍ମର ସଂବନ୍ଧ

ବାଳାତପ ପ୍ରତିଜଥା ।

ଯବନ ଯୁମତି ମୁଖ ମଦରାଗ

ନସହିଲେ ରଘୁତଥା ।

 

 

ଅସ୍ୱ ସୁସାଧନ ପାଶ୍ଚ୍ୟାତ୍ୟ ସହିତ

ଯୁଦ୍ଧ ହେଲା ରଘୁଙ୍କର ।

ଧନୁ ଶବ୍ଦଦ୍ୱାରା ଅନୁମିତ ଯୋଦ୍ଧା

ସମସ୍ତେ ଧୂଳି ଧୂସର ।

 

ମୁଖରିତ ବାଣ ବରଷିଣ ରଘୁ

ଭୂମିକି ଆଚ୍ଛାଦି ଦେଲେ ।

ମଧୁମକ୍ଷି ପୁଞ୍ଜ ମଧୁକୁ ଯେପରି

ଘୋଡ଼ାଇ ଥାନ୍ତି ସାନ୍ଦ୍ରରେ ।

 

ହତ ଅବଶିଷ୍ଟ ନୃପେ ନମ୍ର ଶିରେ

ଆସି ପସିଲେ ଶରଣ ।

ମହାତ୍ମାଙ୍କ କ୍ରୋଧ ପ୍ରତିକାର ଏକୀ

ପ୍ରଣତି ପ୍ରିୟ ଭାଷଣ ।

 

ତହୁଁ ଯୋଦ୍ଧାଗଣ ଦ୍ରାକ୍ଷା କୁଞ୍ଜମୂଳେ

ବସି ଚର୍ମାସନ ପରେ ।

ଦ୍ରାକ୍ଷାଦଳ ମଦ୍ୟ ପିଇ ଯୁଦ୍ଧଖେଦ

ଦୂରକଲେ ନିଶ୍ଚିନ୍ତରେ ।

 

 

ଶରଦ୍ୱାରା ଷଷ୍ଠ ଅଂଶ ଆଣିବାକୁ

ରଘୁଗଲେ ଉତ୍ତରକୁ ।

ଉତ୍ତରାଶାଲମ୍ୱୀ ତପନ ଯେପରି

ନିଅନ୍ତି କରେ ଜଳକୁ ।

 

ସିନ୍ଧୁନାମ ନଦୀ ତଟରେ ଉତ୍ତରି

ଗତଶ୍ରମୀ ଅଶ୍ୱଗଣ ।

ସଟାରେ ଲାଗିଲୁ କୁଙ୍କୁମ କେଶର

ସ୍କନ୍ଦ କମ୍ପାଇ ତକ୍ଷଣ ।

 

ଭର୍ତ୍ତୃବଧ ଦ୍ୱାରା ବିଦିତ ବିକ୍ରମ

ରଘୁଙ୍କର ଚେଷ୍ଟା ସର୍ବ ।

ଅନ୍ତଃପୁର ସ୍ଥିତ ହୁଣ ନାରୀଙ୍କର

କପୋଳକୁ କଲା ଖର୍ବ ।

 

ନସହି ସମରେ ରଘୁଙ୍କ ବିକ୍ରମ

କାମ୍ଭୋଜ ପ୍ରଭୂ ସକଳ ।

ଆଶକ୍ତି ହୋଇଣ ଝାଉଳି ପଡ଼ିଲେ

ଯେସନେ କମଳ ଦଳ ।

 

 

କାମ୍ଭୋଜ ଅଧିପେ ପୁଣି ଅତିଉଚ୍ଚ

ଅସଂଖ୍ୟ ଅଶ୍ୱମାନଙ୍କୁ ।

ରତ୍ନରାଶୀ ସହ ଉପହାର ଦେଲେ

କୌଶଳର ଅଧିପଙ୍କୁ ।

 

ଏଅନ୍ତେ ଘୋଟକ ପୃଷ୍ଠ ଆରୋହଣ

ଖୁର ଉଦ୍ଧୃତ ରଜରେ ।

ହିମାଳୟ ଶୃଙ୍ଗ ବଢ଼ାଇଲା ପରି

ଚଲେ ଅଦ୍ରିର ଉପରେ ।

 

ସୈନ୍ୟର ଚହଳ ଶୁଣିଲେ ହେଲେହେଁ

ଗୁହାଶାୟୀ ପଶୁରାଜ ।

ଗ୍ରିବା ଭଙ୍ଗକର ଚାହିଁଲୁ ପ୍ରଶଂସା

କଲେ ତାଙ୍କୁ ରଘୁରାଜ ।

 

ଭୁର୍ଜପତ୍ର ହେତୁ ମର୍ମର ଶବ୍ଦିତ

ବିଚକ ଧ୍ୱନି କାରକ ।

ଜାହ୍ନବୀ ଶୀତଳ ମରୁତ ମାର୍ଗରେ

ରଘୁଙ୍କ ହେଲା ସେବକ ।

 

 

କସ୍ତୁରି ସୁଗନ୍ଧି ନମେରୁ ଦ୍ରୁମର

ଛାୟାକୀର୍ଣ୍ଣ ପ୍ରସ୍ଥରରେ ।

ସୈନିକ ପୁରୁଷେ ଉପବିଷ୍ଟ ହୋଇ

ବିଶ୍ରମିଲେ ସନ୍ତୋଷରେ ।

 

ସରଳ ବୃକ୍ଷରେ ଆବଦ୍ଧ ଦନ୍ତିଙ୍କ

କଣ୍ଠଲଗ୍ନ ଶୃଙ୍ଖଳରେ ।

ସ୍ଫୁରିତ ଓଷଧି ବୃକ୍ଷ ରଘୁଙ୍କର

ପ୍ରଦୀପ ହେଲେ ରାତ୍ରିରେ ।

 

ସେନାଙ୍କ ଉତ୍ସୃଷ୍ଟ ନିବାସ ସ୍ଥାନରେ

କରିକଣ୍ଠ ରଜ୍ଜୁକ୍ଷତ ।

ଦେବଦାରୁ ଦ୍ୱାରା ଗଜର ଉଚ୍ଚତା

ଜାଣନ୍ତି ତହିଁ କିରାତ ।

 

ପାର୍ବତୀୟଗଣ ସହିତ ଅତ୍ୟନ୍ତ

ଯୁଦ୍ଧହେଲା ରଘୁଙ୍କର ।

ବାଣ ଘର୍ଷଣରୁ ଉଦ୍ଧୃତ ଅନଳ

ସେହି ମହେନ୍ଦ୍ର ଶିଖର ।

 

 

ଉତ୍ସବ ସଙ୍କେତ ଗଣ ପରାଭୁତ

ହେଲୁ ଯୁଦ୍ଧେ କ୍ଷଣକରେ ।

ରଘୁଜୟ କୀର୍ତ୍ତି ଗାଇଲେ ଆନନ୍ଦେ

କିନ୍ନରି ସହ କିନ୍ନରେ ।

 

ଅମୂଲ୍ୟ ରତ୍ନାଦି ଉପାୟନ ଦ୍ରବ୍ୟ

ଉତ୍ସବ ଗଣେ ଭେଟିଲେ ।

ହିମାଦ୍ରି କାକୁସ୍ତ ଉଭୟଙ୍କ ବଳ

ଦୁହେଁ ଦୁହିଁଙ୍କି ଜାଣିଲେ ।

 

ଅପ୍ତଧୃଷ୍ୟ ଯଶ ସେହି ହିମାଦ୍ରିରେ

କରିଣ ରଘୁ ସ୍ଥାପିତ ।

ପ୍ରତ୍‌ଯାବୃତ୍ତ ହେଲେ ପୌଲସ୍ତ୍ୟ ତୁଳିତ

ଅଦ୍ରିକି କରି ଲଜ୍ଜିତ ।

 

ଲୋହିତ୍ୟା ନଦୀକୁ ଅତିକ୍ରାନ୍ତ ହେଲ

ରଘୁ ସୈନ୍ୟ ସହିତରେ ।

ପ୍ରାଗ୍ଜୋଦ୍ଦିଷାଧିପେ କୃଷ୍ଣାଗୁରୁ ଦ୍ରୁମ-

ସହ କମ୍ପିଲେ କାତରେ ।

 

 

ବହୁ ବରସାରୁ ଦୁର୍ଦ୍ଦିନର ପରି

ଗ୍ୟନ୍ଦକ ମାର୍ଗରେ ରଜ ।

ପୁଣି ସେନାସହି ନସହିଲେ ପୂର୍ବ

ଜ୍ୟୋତିଷ ନରେଶ ବ୍ରଜ ।

 

କାମରୂପ ଜନପଦର ଈଶ୍ୱର

ବହୁଗଜ ସହିତରେ ।

ଶରଣ ପଶିଲା ଇନ୍ଦ୍ର ପରାକ୍ରମୀ

ରଘୁଙ୍କର ପଦାବ୍ଜରେ ।

 

ପୁଣି ରତ୍ନାର୍ଚ୍ଚିତ ହେମ ପୀଠ ସ୍ଥିତ

ପଦ୍ମପାଦ ରଘୁଙ୍କର ।

ରତ୍ନପୁଷ୍ପ ଦ୍ୱାରା ପୂଜାକଲା ସେହି

ଜନପଦ ଅଧୀଶ୍ୱର ।

 

ଏପରି ଭାବରେ ଚତୁର୍ଦ୍ଦିଗ ଜିଣି

ଛତ୍ର ଶୂନ୍ୟ ରାଜାଙ୍କର ।

ମୌଳି ଶକ୍ତକରି ରଥୋଦ୍ଧୂତ ରେଣୁ

ଫେରିଲେ କୌଶଳେଶ୍ୱର ।

 

 

ନଗର ମଙ୍ଗଳ ବାଦ୍ୟରେ ଚହଳ

ସ୍ଥାନେ ସ୍ଥାନେ ଶଙ୍ଖ ଧ୍ୱନି ।

ବିଜୟ ପତାକା ଫର ଫର ଉଡ଼େ

ମଣ୍ଡିତ ପୁଣି ଧରଣୀ ।

 

ରଘୁ ମହାରାଜ ପ୍ରବେଶ ହୋଇଲେ

ଆସି ରାଜ ନଗରରେ ।

ଅମାତ୍‌ଯ କରରୁ ଗ୍ରହଣ କରିଲେ

ରାଜ୍ୟଭାର ଆନନ୍ଦରେ ।

 

ବିଶ୍ୱଜିତ ନାମେ ଯଜ୍ଞ ଆରମ୍ଭିଲେ

ଦକ୍ଷିଣା ଦେଲେ ସର୍ବସ୍ୱ ।

ମୃତ୍ତିକା ପାତ୍ରାଦି ରହିଲା କେବଳ

ରଘୁଙ୍କର ଅବଶେଷ ।

 

ଯାଗ ପୂର୍ଣ୍ଣପରେ ସମସ୍ତ ରାଜାଙ୍କୁ

ସମ୍ମାନେ କଲେ ଭୂଷିତ ।

ପୁରଷ୍କୃତ ହେତୁ ପରାଜୟ ଦୁଃଖ

ଚିତ୍ତରୁ ହେଲା ଦୂରିତ ।

 

 

ଚିର ବିରହରୁ ଅତ୍ୟନ୍ତ ଉତ୍ସୁକା

ଅବରୋଧ ସ୍ଥିତ ନାରୀ ।

ନୃପତି ବୃନ୍ଦକୁ ସ୍ୱପୁର ଜିବାକୁ

ଆଜ୍ଞାଦେଲେ ଦଣ୍ଡଧାରୀ ।

 

ପୂର୍ଣ୍ଣାନୁଗ୍ରହରୁ ଲଭ୍ୟ ସମ୍ରାଟଙ୍କ

ସୁକୁମାର ପାଦତଳେ ।

କିବା ସମୟରେ ସେହି ରାଜାମାନେ

ବିନୟେ ପ୍ରଣାମ କଲେ ।

 

ମୌଳି ମାଳା ଚୂତ ସୁମନ ରେଣୁରେ

ହୋଇଲା ବିଶେଷେ ଗୌର ।

ଧ୍ୱଜ ଛତ୍ର ପଦ୍ମ ସୁରେଖା ଅଙ୍କିତ

ପାଦାଙ୍ଗୁଳୀ ରଘୁଙ୍କର ।

 

ସଂପୂର୍ଣ୍ଣ ।

——————